ଵିଧିର ବିଧାତା ଦାଉ ଯେ ସାଧୁଛି
କି ଦୋଷ ମୁଁ କରିଅଛି
ପିତାମାତା ମୋର ଅକାଳରେ ଗଲେ
ମୋ ଭାଗ୍ୟ କିଏ ଲେଖିଛି।
ଆଖି ପୁରେଇକି ଦୁନିଆଁ ଦେଖିବା
ମୋ କପାଳେ ସତେ ନାହିଁ
ଆଖିରେ ମୋହର ଆଖିଏ ଲୁହତ
ପୋଛିବାକୁ କେହି ନାହିଁ।
ନିଜ ହାତେ ମୁଁହି ଖାଇବା ଶିଖିନି
ମୋ କୋଳରେ ଛୋଟ ଭାଇ
ଅନ୍ତିମ ବେଳାରେ ମା ଆ କହିଥିଲା
ତୋତେତ ଲାଗିଲା ଏହି।
ଖାଇବା ପାଇଁକି ଦାନା ମୁଠେ ନାହିଁ
ପିନ୍ଧିବା ପାଇଁକି କନା
ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ
ସତେ ଏ ସଂସାର ମନା।
କେମିତି ଏ ବୋଝ ମୁଣ୍ଡେଇ ଚାଲିବି
କିଏ ବା ଭରସା ଦେଵ
ସ୍ୱାର୍ଥପର ଏଇ ଦୁନିଆଟା ସତେ
କିଏ ମୋତେ ଆଶ୍ରା ହେବ।
ନିଷ୍ପାପ ଶିଶୁର କି ପରୀକ୍ଷା ନିଅ
ଭଲମନ୍ଦ ବୁଝିନାହିଁ
ଏକା ଏକା ବାଟ ଚାଲିବି କେମିତି
ବୁଦ୍ଧିବାଟ ଦିଶୁନାହିଁ।
ବାପା ମା ଛେଉଣ୍ଡ କାହିଁକି କରିଲ
ମୋହର କି ଅବା ଦୋଷ
ଜନମ ଆଗରୁ ଜୀବନ ନନେଇ
କାହିଁ କର ପରିହାସ।
ଏ କେଉଁ ମହତ ଉଦ୍ଧେଶ୍ୟ ରେ ପ୍ରଭୁ
ଏତେ ବଡ଼ ଶାସ୍ତି ଆଣ
ଭଗବାନ ଯାହା କରନ୍ତି ସଭିଙ୍କ
ମଙ୍ଗଳ ପାଇଁକି ଜାଣ।
ଅଜବ ଦୁନିଆଁ ଘୃଣା ପରା କରେ
ଅନାଥ ଅନାଥ କହି
ଅନାଥ ମୁଁହକୁ ଯିଏ ତ ଚାହିଁବ
ଅଶୁଭ କାଳେ ହୁଅଇ।
କେମିତି ଏ ଶିଶୁ ବଞ୍ଚାଇବି ମୁଁହି
ତୁମେ ଦିଅ ପ୍ରଭୁ ଶକ୍ତି
ବିପଦ ବେଳରେ ତୁମେ ନରଖିଲେ
କିଏ ହେବ ମୋର ସାଥି।
ଦିଅ ପ୍ରଭୁ ବଳ ଦିଅ ଯେ ସାହସ
କେମିତି ବଞ୍ଚିବି ମୁଁହି
ତୁମ ପାଦ ତଳେ ଶରଣ ପଶିଲି
ସାହା ହୁଅ ଭାବଗ୍ରାହୀ।
ସମ୍ପଦ କୁମାର ବେହେରା,
ଝାଡଲିଙ୍ଗ,ଅସ୍ତରଙ୍ଗ, ପୁରୀ


0 Comments